ଝୁଲି ଝୁଲି ଆସେ ମୋ କାଳିଆ ସୁନା
ଘଣ୍ଟ ଘଣ୍ଟା ଦୁଲୁକାଇ
ଦେଖିବ ଜଗତ ତାଙ୍କ ବ୍ରହ୍ମରୂପ
ଭକ୍ତଙ୍କ ଗହଳେ ଯାଇ ll
ରତନ ବେଦୀରେ ମନ ଲାଗିଲାନି
ଭକ୍ତଙ୍କ ପ୍ରାର୍ଥନା ପାଇଁ
ବରଷକୁ ଥରେ ଶ୍ରୀ ଗୁଣ୍ଡିଚା ଯିବେ
ଭାଇ ଭଉଣୀଙ୍କୁ ନେଇ ll
ପ୍ରକୃତି ଗାଇବ ଗୀତ ଆନନ୍ଦରେ
ମଧୁର ରାଗିଣୀ ଦେଇ
ଜଗତର ନାଥ ଆଜି ବିଜେ ହେବେ
ନନ୍ଦିଘୋଷ ରଥେ ଯାଇ ll
ଦୋଳି ଖେଳୁଥିବ ସୁନେଲି ଟାହିଆ
ପଣ୍ଡା ପଢିଆରି ସଙ୍ଗେ
ଧକ୍କା ଦେଉଥିବେ ଆନନ୍ଦ ମନରେ
ଭଜୁଥିବେ ପ୍ରୀତି ରଙ୍ଗେ ll
ଗହଳ ଲାଗଇ ଭକତ ମେଳରେ
ଗୁଣ୍ଡିଚା ମନ୍ଦିର ଯିବେ
ସାତ ଦିନ ପାଇଁ ଟଣା ଭିଡା ଖାଇ
ଭାଇ ଭଉଣୀଙ୍କୁ ନେବେ ll
ଧନ୍ୟ ହୋଇଯିବ ସରଧାର ବାଲି
ଧନ୍ୟ ହୋଇଯିବ ନେତ୍ର
ଧାଡି ପହଣ୍ଡିରେ ପ୍ରଭୁ ବିଜେ ହେବେ
ଚକ୍ଷୁ ହେବ ଯେ ପବିତ୍ର ll
ଏ ଦୁର୍ଲ୍ଲଭ ଦୃଶ୍ୟ ଦେଖିବ ଜଗତ
ସାର୍ଥକ ହୋଇବ ଜୀବ
ବିମୋହିତ ହେବ କୋଟି ମନ ପ୍ରାଣ
ମୋକ୍ଷ ପ୍ରାପ୍ତି ହୋଇଯିବ ll
ଭକ୍ତ ଭଗବାନ ଅପୂର୍ଵ ମିଳନ
ହୋଇବ ବଡ଼ଦାଣ୍ଡରେ
ପୁଷ୍ପ ବୃଷ୍ଟି ହେବ ନଭ ମଣ୍ଡଳରୁ
ଭାବମୟ ଚେତନାରେ ll
ଭାବରେ ଭାବକୁ ତୁମେ ବାନ୍ଧିଅଛ
ସତ୍ୟ ମିଥ୍ୟାକୁ ଧରିଛ
ଟାହିଆ ହଲାଇ ପାପ ପୁଣ୍ୟ ଦେଖ
ଆଉ ପ୍ରଭୁ ସବୁ ମିଛ ll
ତୁମ ଶ୍ରୀପୟରେ କରୁଛି ଗୁହାରୀ
ଲଷ୍ମୀକାନ୍ତ ଦୀନ ହୀନ
ତୁମ କରୁଣାରେ ହସି ଉଠୁ ଧରା
ପ୍ରଣାମ ମୋହର ଘେନ ll
🙏🏾ଜୟ ଜଗନ୍ନାଥ 🙏🏾
ଡ଼ ଲଷ୍ମୀକାନ୍ତ ଦାଶ, ବିଭାଗୀୟମୁଖ୍ୟ, ଶିକ୍ଷାବିଭାଗ, ସୁକିନ୍ଦା ମହାବିଦ୍ୟାଳୟ, ସୁକିନ୍ଦା, ଯାଜପୁର
Published by - LRL Enterprises
Comments